Monday, August 17, 2026
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣରେ ‘ଦିମାଗୀ ନକ୍ସଲ’ ଶବ୍ଦର ବ୍ୟବହାରକୁ ନେଇ ଦିଲ୍ଲୀର ରାଜନୀତିରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପରେ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଏହି ଶବ୍ଦରେ କାହାକୁ ବୁଝାଯାଉଛି, ସେନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ନେତାମାନଙ୍କୁ ସାଧାରଣ ଭାବେ ‘ଦିମାଗୀ ନକ୍ସଲ’ କହିନାହାନ୍ତି। ତାଙ୍କ ବ୍ୟାଖ୍ୟା ଅନୁସାରେ, ମାଓବାଦୀଙ୍କୁ ସମର୍ଥନ କରୁଥିବା ଓ ଭାରତୀୟ ସମ୍ବିଧାନକୁ ଅସ୍ୱୀକାର କରୁଥିବା ଲୋକ, ବିଚ୍ଛିନ୍ନତାବାଦୀଙ୍କ ସମର୍ଥକ ଏବଂ ଦେଶର ଏକତାକୁ ପ୍ରଭାବିତ କରିବା ଭଳି ଧାରଣାକୁ ସମର୍ଥନ କରୁଥିବା ଲୋକଙ୍କୁ ଏହି ଶ୍ରେଣୀରେ ରଖାଯାଇଛି। ବିଶେଷ କରି ଉତ୍ତର-ପୂର୍ବ ଭାରତକୁ ଦେଶର ଅନ୍ୟ ଅଂଶରୁ ଅଲଗା କରିବା ସମ୍ପର୍କିତ ‘ଚିକେନ୍ସ ନେକ୍’ ବା ସିଲିଗୁଡ଼ି କରିଡର୍କୁ ନେଇ ଏଭଳି ଧାରଣାକୁ ସମର୍ଥନ କରୁଥିବା ଲୋକଙ୍କ ବିଷୟରେ ମଧ୍ୟ ରିଜିଜୁ ଉଲ୍ଲେଖ କରିଛନ୍ତି। ଏହି ବିବୃତ୍ତି ପରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ତୀକ୍ଷ୍ଣ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ସେ ନିଜକୁ ‘ଦିମାଗୀ ନକ୍ସଲ’ କୁହାଯାଇଥିଲେ ମଧ୍ୟ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି। ତାଙ୍କ ଏହି ମନ୍ତବ୍ୟ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସଶସ୍ତ୍ର ନକ୍ସଲବାଦକୁ ଦମନ କରାଯାଇଥିଲେ ମଧ୍ୟ ‘ଦିମାଗୀ ନକ୍ସଲ’ ଚିନ୍ତାଧାରାକୁ ଚିହ୍ନଟ କରି ଅଲଗା କରିବା ଆବଶ୍ୟକ। ଏହି ମନ୍ତବ୍ୟକୁ ନେଇ ବିରୋଧୀ ଦଳର ନେତାମାନେ ପ୍ରଶ୍ନ ଉଠାଇଥିଲେ। ଏବେ ରିଜିଜୁଙ୍କ ସ୍ପଷ୍ଟୀକରଣ ଓ ଚିଦାମ୍ବରମଙ୍କ ପ୍ରତିକ୍ରିୟା ପରେ ‘ଦିମାଗୀ ନକ୍ସଲ’ ପ୍ରସଙ୍ଗ ନେଇ ରାଜନୈତିକ ତର୍କ ଆହୁରି ଜୋର ଧରିଛି। www.navjivanfoundation.org
Subscribe to:
Post Comments (Atom)

No comments:
Post a Comment